Saturday, June 2, 2018
ଆରଏସ୍ଏସ୍ର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ
୨୨୮ ଜଣ ଶିକ୍ଷାର୍ଥିଙ୍କ ସାମୁହିକ ସୂର୍ଯ୍ୟନମସ୍କାରରେ ବିମୋହିତ ଦର୍ଶକ
ଭୁବନେଶ୍ୱର(୫/୬): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ପ୍ରଥମବର୍ଷ ସଂଘଶିକ୍ଷାବର୍ଗ ସାମାନ୍ୟ ଉଦ୍ୟାପିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ ବର୍ଗର ସମାରୋପ କାର୍ଯ୍ୟକ୍ରମରେ ୧୫ ବର୍ଷ ବୟସରୁ ୪୦ ବର୍ଷ ମଧ୍ୟରେ ଥିବା ୨୨୮ ଜଣ ଶିକ୍ଷାର୍ଥିଙ୍କ ସାମୁହିକ ସୂର୍ଯ୍ୟନମସ୍କାର, ସାମୂହିକ ସମତା, ଯୋଗ, ବ୍ୟାୟ୍ୟାମ ଯୋଗ, ପିରାମିଡ, ଦଣ୍ଡ, ନିୟୁଦ୍ଧ ଆଦି କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଦେଇଛି ।
ଓଡିଶା ପୂର୍ବ ପ୍ରାନ୍ତର ୧୮ଟି ଜିଲ୍ଲାରୁ ୬୧ ଜଣ ବୃତିଧାରୀ ଓ ୧୬୭ ଜଣ ଛାତ୍ର ଏହି ବର୍ଗରେ ଭାଗ ନେଇଥିଲେ । ଏହି ବର୍ଗ ପାଇଁ ପ୍ରଶିକ୍ଷାର୍ଥିମାନେ ନିଜ ନିଜ ଖର୍ଚ୍ଚରେ ଗଣବେଷ ତିଆରି କରିବା ସହିତ ଶିବିରରେ ରହିବା ସମୟରେ ସମସ୍ତ ଖର୍ଚ୍ଚ ନିଜେ ବହନ କରିଛନ୍ତି । ବିଗତ ୨୦ ଦିନଧରି ସ୍ୱୟଂସେବକମାନେ ଏଠାରେ ବୌଦ୍ଧିକ, ଶାରୀରିକ, ସେବା, ପ୍ରଚାର, ଅନୁଶାସନ , ଚର୍ଚ୍ଚା ଓ ଶୃଙ୍ଖଳା ବିଷୟରେ ଶିକ୍ଷା ଗ୍ରହଣ କରିବା ସହିତ ସୂର୍ଯ୍ୟନମସ୍କାର,ଯୋଗ, ଦଣ୍ଡ, ନିୟୁଦ୍ଧ,ଆସନ, ବ୍ୟାୟାମ,ପଦବିନ୍ୟାସ, ସମତା ଏବଂ ଭାରତୀୟ ଖେଳ, ବିଭିନ୍ନ ସେବାକାର୍ଯ୍ୟ, ସାମ୍ବାଦିକତା ଆଦି ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି । ଏହି ବର୍ଗରେ ପ୍ରଶିକ୍ଷଣ ଦେବା ପାଇଁ ୨୦ଜଣ ପ୍ରଶିକ୍ଷକ ଏବଂ ସଂଘର ଅଖିଳଭାରତୀୟ କାର୍ଯ୍ୟକର୍ତା ସହସରକାର୍ଯ୍ୟବାହ ଶ୍ରୀ ଭାଗେୟାଜୀ,ଅଖିଳ ଭାରତୀୟ ସଂପର୍କ ପ୍ରମୁଖ ଶ୍ରୀ ଅନିରୁଦ୍ଧ ଦେଶପାଣ୍ଡେଜୀ,ଅଖିଳ ଭାରତୀୟ ସହପ୍ରଚାରକ ପ୍ରମୁଖ ଶ୍ରୀ ଅଦୈତ ପ୍ରସାଦ ଦତ, ପୂର୍ବକ୍ଷେତ୍ର କାର୍ଯ୍ୟବାହ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର,ପୂର୍ବକ୍ଷେତ୍ର ପ୍ରଚାରକ ଶ୍ରୀ ପ୍ରଦୀପ ଯୋଶୀ,ପୂର୍ବପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ପ୍ରମୁଖ ଅନେକ ପ୍ରାନ୍ତୀୟ ଅଧିକାରୀମାନେ ଯୋଗଦେଇଥିଲେ । ୩୫ ଜଣ ପ୍ରବନ୍ଧକ ବ୍ୟବସ୍ଥା ସହିତ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ମଧୁସୁଦନ ନଗର ଠାରେ ଗତ ମେ ୧୩ ତାରିଖ ଦିନ ଏହି ବର୍ଗ ଆରମ୍ଭ ହୋଇଥିଲା । ସଂଘର ଅଖିଳ ଭାରତୀୟ ସହପ୍ରଚାରକ ପ୍ରମୁଖ ଅଦୈତ ଚରଣ ଦତ, ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ଏବଂ ବର୍ଗାଧିକାରୀ ଶ୍ରୀ ମନୋରଞ୍ଜନ ସାହୁ ଭାରତମାତାଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥଲେ । ଗତ ମେ ୨୭ ତାରିଖ ଦିନ ଶିକ୍ଷାର୍ଥିମାନଙ୍କ ଦ୍ୱାରା ଏକ ଭବ୍ୟ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶିକ୍ଷାର୍ଥିମାନେ ପୂର୍ଣ୍ଣଗଣବେଷରେ ଘୋଷବାଦ୍ୟ ସହ ନଗର ପରିକ୍ରମା କରିଥିଲେ ।
ଊଦ୍ୟାପନୀ ଉତ୍ସବରେ ଶିକ୍ଷାବିତ ଡଃ. ଚକ୍ରଧର ବିଶ୍ୱାଳ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଲେ ଯେ, ସଂଘ ପରିବାର ଭିତରେ ସେବା, ସମର୍ପଣ ଓ ଶୃଙ୍ଖଳାର ତ୍ରିବେଣୀ ସଂଗମ ସୃଷ୍ଟି ହୋଇଛି । ସ୍ୱଦେଶ ପ୍ରେମ ଆଡକୁ ଏହି ତ୍ରିବେଣୀଧାର ବହି ଚାଲିଛି । ଶ୍ରଦ୍ଧା ଯୋଗୁ ସମସ୍ତଙ୍କ ମନରେ ଏହି ଭାବ ସୃଷ୍ଟି ହୋଇଛି । ସେହି ଶ୍ରଦ୍ଧା ସ୍ୱୟଂସେବକମାନଙ୍କ ଆଚରଣରେ ପରିସ୍ପୃଷ୍ଟ ହେଉଛି । ଶ୍ରଦ୍ଧା ନଥିଲେ ସତ୍ୟର ଉପଲବ୍ଧ ହେବ ନାହିଁ । ସେ ଶିକ୍ଷାର୍ଥିମାନଙ୍କର ଅନୁଶାସନ,ତ୍ୟାଗର ଭୂୟସୀ ପ୍ରଶଂସା କରିଥିଲେ ।
ମୁଖ୍ୟବକ୍ତା ରୂପେ ଯୋଗଦେଇ ସଂଘର ପ୍ରାନ୍ତକାର୍ଯ୍ୟବାହ ଡଃ. ଅନୀଲ କୁମାର ମିଶ୍ର କହିଲେ ଯେ,ଏହି ବର୍ଗରେ ଶିକ୍ଷାର୍ଥିମାନେ ତପସ୍ୱୀ ପରି କଠିନ ଜୀବନ ଯାପନ କରୁଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ସମାଜ ଭିତରେ ସର୍ଜ୍ଜନ ଶକ୍ତିର ଜାଗରଣ । ସମାଜକୁ ଭଲ ବ୍ୟକ୍ତି ଦରକାର । ସର୍ଜ୍ଜନ ଶକ୍ତିମାନେ ସବୁ ନିୟମ ପାଳନ କରିଥାନ୍ତି । ସର୍ଜ୍ଜନ ଶକ୍ତିର ଜାଗରଣ ଯେତିକି ବଢିବ ସମାଜରେ ସେତେ ନିୟମ ପାଳନ ହେବ । ସଂଘକାର୍ଯ୍ୟ ବୃଦ୍ଧିରେ ସହାୟକ ଏହି ପ୍ରଶିକ୍ଷଣ ଶିବିରରେ ଏପରି ମନୁଷ୍ୟ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱୀତ କରାଯାଏ । ଯାହାଦ୍ୱାରା ଦେଶଭକ୍ତିରେ ଓତଃପ୍ରୋତ ଜଡିତ ହୋଇ ଦେଶର ସାଧାରଣ ଜନତାଙ୍କ ପ୍ରତି ସହାନୁଭୁତିଶୀଳ,ତ୍ୟାଗପୂତ ରାଷ୍ଟ୍ର ପୂଜକ ନିର୍ମାଣ ହୋଇଥାନ୍ତି । ଏହିପରି ଗୁଣସମ୍ପନ୍ନ ସ୍ୱୟଂସେବକମାନେ ସମାଜକୁ ସଂଗଠିତ କରିବା ସହିତ ଉକ୍ତ ସମାଜର ସର୍ବାଙ୍ଗୀନ ଉନ୍ନତି ତଥା ରାଷ୍ଟ୍ରର ପରମ ବୈଭବ ପ୍ରାପ୍ତି ଦିଗରେ ବ୍ରତି ହୋଇ ଆଜୀବନ କର୍ତବ୍ୟରତ ହୋଇ ରହିବେ । ବିଗତ ୯୪ ବର୍ଷଧରି ରାଷ୍ଟ୍ରଜୀବନର ପ୍ରତ୍ୟକ କ୍ଷେତ୍ରରେ କାଯ୍ୟରତ ଭାରତର ଲକ୍ଷ ଲକ୍ଷ ସ୍ୱୟଂସେବକ ଭାରତୀୟ ଜନମାନସରେ ପ୍ରକୃତ ରାଷ୍ଟ୍ର ଭାବର ଜାଗରଣ ପୂର୍ବକ ସମତା ଯୁକ୍ତ ମମତା ସିକ୍ତ ସମରସ ସମାଜ ନିର୍ମାଣରେ ସକ୍ରୀୟ ହୋଇଛନ୍ତି । ଭାରତୀୟ ପ୍ରାଚୀନ ସଂସ୍କୃତି ଆଧାରିତ ବିଚାର ଆଧାରର ପରିସ୍ପୁଟ କରୁଥିବା ସଂଘ ଅଧ୍ୟାତ୍ମ, ବିଶ୍ୱ ଭାତୃତ୍ୱ ତଥା ମୂଲ୍ୟବୋଧର ବାର୍ତା ପ୍ରଚାର କରି ବିଶ୍ୱର କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିଛନ୍ତି ।
ବର୍ଗାଧିକାରୀ ଶ୍ରୀ ମନୋରଂଜନ ସାହୁ ବର୍ଗର ବିବରଣୀ ପାଠ କରିଥିବା ବେଳେ ବର୍ଗର କାର୍ଯ୍ୟବାହ ଶ୍ରୀ ସଂଜୟ କୁମାର ସାହୁ ମଂଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଧନ୍ୟହବାଦ ଅର୍ପଣ କରିଥିଲେ ।
ଗୋଲଖ ଚନ୍ଦ୍ର ଦାସ
Subscribe to:
Posts (Atom)